इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୭

ଯିହୋବାଙ୍କ ଉପରେ ଆଶା ରଖନ୍ତୁ

ଯିହୋବାଙ୍କ ଉପରେ ଆଶା ରଖନ୍ତୁ

“ଯିହୋବାଙ୍କ ଉପରେ ଆଶା ରଖ, ସାହସୀକ ହୁଅ, ନିଜ ହୃଦୟକୁ ମଜବୁତ୍‌ ରଖ ।”—ଗୀତ. ୨୭:୧୪, NWT.

ଗୀତ ୧୨୮ ହାମେ ଆନ୍ତ ତାକ୍‌ ଧିରଜ ରାଖନା ହାୟ

ଲେଖାର ଝଲକ a

୧. (କ) ଯିହୋବାଙ୍କଠାରୁ ଆମକୁ କʼଣ ଆଶା ମିଳିଛି ? (ଖ) “ଯିହୋବାଙ୍କ ଉପରେ ଆଶା” ରଖିବାର ଅର୍ଥ କʼଣ ? (“ଏହାର ଅର୍ଥ କʼଣ ?” ଦେଖନ୍ତୁ ।)

 ଆମ ପାଖରେ କେତେ ବଢ଼ିଆ ଆଶା ଅଛି ! ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଖୁବ୍‌ ଶୀଘ୍ର ସବୁ ଦୁଃଖକଷ୍ଟ, ରୋଗ ଓ ମୃତ୍ୟୁକୁ ଶେଷ କରିଦେବେ । (ପ୍ରକା. ୨୧:୩, ୪) ସେ ପୃଥିବୀକୁ ପୁଣିଥରେ ସୁନ୍ଦର ବଗିଚା କରିବା ପାଇଁ ‘ନମ୍ର ଲୋକମାନଙ୍କୁ’ ସାହାଯ୍ୟ କରିବେ । (ଗୀତ. ୩୭:୯-୧୧) କେବଳ ଏତିକି ନୁହେଁ, ସେସମୟରେ ଆମେ ଯିହୋବାଙ୍କର ଆହୁରି ନିକଟତର ଅନୁଭବ କରିବା । କିନ୍ତୁ ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବାଙ୍କର ଏହି ସବୁ ପ୍ରତିଜ୍ଞାଗୁଡ଼ିକ ପୂରା ହେବ ? କାରଣ ସେ ଆଜିଯାଏ ଯାହା ବି କହିଛନ୍ତି, ସେ ସବୁ ପୂରା ହୋଇଛି । ତେଣୁ ଆମେ “ଯିହୋବାଙ୍କ ଉପରେ ଆଶା” ରଖିପାରୁ । b (ଗୀତ. ୨୭:୧୪, NWT) କିନ୍ତୁ ଆମେ କିପରି ଦେଖାଇପାରିବା ଯେ ଆମକୁ ଯିହୋବାଙ୍କ ଉପରେ ଆଶା ଅଛି ? ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ ଓ ଖୁସିର ସହ ସେହି ଦିନକୁ ଅପେକ୍ଷା କରିବାକୁ ହେବ, ଯେବେ ଯିହୋବା ନିଜ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବେ ।—ଯିଶା. ୫୫:୧୦, ୧୧.

୨. ଯିହୋବା କʼଣ ପ୍ରମାଣିତ କରିସାରିଛନ୍ତି ?

ଯିହୋବା ପ୍ରମାଣିତ କରିଛନ୍ତି ଯେ ସେ ନିଜ ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରଣ କରନ୍ତି । ଆସନ୍ତୁ ଏହାର ଗୋଟିଏ ଉଦାହରଣ ଦେଖିବା । ପ୍ରକାଶିତ ବାକ୍ୟ ବହିରେ ଯିହୋବା ଲେଖାଇଥିଲେ ଯେ ଆମ ସମୟରେ ସବୁ ଜାତି, ବଂଶ ଓ ଭାଷାର ଲୋକମାନେ ଏକା ସହ ମିଶି ତାଙ୍କର ଉପାସନା କରିବେ । ଏହି ଖାସ୍‌ ସମୂହକୁ “ମହା ଜନତା” କୁହାଯାଇଛି । (ପ୍ରକା. ୭:୯, ୧୦) ଆଜି ଯିହୋବାଙ୍କର ଏହି ପ୍ରତିଜ୍ଞା ପୂରା ହେଉଛି । ଏହି ମହା ଜନତା ମଧ୍ୟରେ ପୁରୁଷ, ସ୍ତ୍ରୀ ଓ ପିଲାମାନେ ସମସ୍ତେ ଅଛନ୍ତି । ଏହି ଲୋକମାନେ ଅଲଗା ଅଲଗା ଭାଷା କହନ୍ତି, ଅଲଗା ଅଲଗା ଦେଶର ଅଟନ୍ତି ଓ ସେମାନଙ୍କର ରହିବାର ଶୈଳୀ ମଧ୍ୟ ଅଲଗା ଅଲଗା । ତଥାପି ସେମାନଙ୍କ ମଧ୍ୟରେ ପ୍ରେମ ଓ ଏକତା ଅଛି । (ଗୀତ. ୧୩୩:୧; ଯୋହ. ୧୦:୧୬) ସେମାନେ ଉତ୍ସାହର ସହ ଲୋକମାନଙ୍କୁ ନିଜ ଆଶା ବିଷୟରେ କହନ୍ତି ଯେ ଖୁବ୍‌ ଶୀଘ୍ର ସବୁକିଛି ଠିକ୍‌ ହୋଇଯିବ । (ମାଥି. ୨୮:୧୯, ୨୦; ପ୍ରକା. ୧୪:୬, ୭; ୨୨:୧୭) ଯଦି ଆପଣ ମଧ୍ୟ ମହା ଜନତାର ଭାଗ ଅଟନ୍ତି, ତେବେ ଆପଣଙ୍କ ପାଇଁ ମଧ୍ୟ ଏହି ଆଶା ବହୁମୂଲ୍ୟ ଥିବ ଓ ଆପଣ ଆଗ୍ରହର ସହ ସେହି ସମୟକୁ ଅପେକ୍ଷା କରୁଥିବେ, ଯେବେ ଏହା ପୂରା ହେବ ।

୩. ଶୟତାନ କʼଣ ଚାହେଁ ?

ଶୟତାନ ପୂରା ଚେଷ୍ଟା କରେ ଯେ ଆମେ ନିଜ ଆଶା ହରାଇଦେଉ । ସେ ଚାହେଁ ଯେ ଆମେ ଏହା ଭାବୁ ଯେ ଯିହୋବା ଆମର ଚିନ୍ତା କରନ୍ତି ନାହିଁ ଆଉ ସେ ନିଜ ପ୍ରତିଜ୍ଞା ପୂରା କରିବେ ନାହିଁ । କିନ୍ତୁ ଯଦି ଆମେ ନିଜ ଆଶା ହରାଇଦେବା, ତେବେ ଆମେ ନିରାଶ ହୋଇଯିବା ଓ ହୁଏତ ଯିହୋବାଙ୍କ ସେବା କରିବା ବି ଛାଡ଼ିଦେବା । ଶୟତାନ ଆୟୁବଙ୍କ ସହ ମଧ୍ୟ ଏପରି କରିବାକୁ ଚେଷ୍ଟା କରିଥିଲା ।

୪. ଏହି ଲେଖାରେ ଆମେ କʼଣ ଜାଣିବା ? (ଆୟୁବ ୧:୯-୧୨)

ଏହି ଲେଖାରେ ଆମେ ଜାଣିବା ଯେ ଶୟତାନ, ଆୟୁବଙ୍କ ବିଶ୍ୱସ୍ତତା ଭାଙ୍ଗିବା ପାଇଁ କʼଣ କʼଣ କଲା । (ଆୟୁବ ୧:୯-୧୨ ପଢ଼ନ୍ତୁ ।) ଆମେ ଏହା ବି ଜାଣିବା ଯେ ଆୟୁବଙ୍କଠାରୁ ଆମେ କʼଣ ଶିଖିପାରିବା ଓ ଆମେ କାହିଁକି ମନେରଖିବା ଉଚିତ୍‌ ଯେ ଯିହୋବା ଆମକୁ ପ୍ରେମ କରନ୍ତି ଓ ସେ ନିଜ ପ୍ରତିଜ୍ଞା ପୂରା କରିବେ ।

ଶୟତାନ ଚେଷ୍ଟା କଲା ଯେ ଆୟୁବ ନିଜ ଆଶା ହରାଇ ଦିଅନ୍ତୁ

୫-୬. ଆୟୁବଙ୍କ ସହ ଗୋଟିଏ ପରେ ଗୋଟିଏ କʼଣ ହେଲା ?

ଆୟୁବଙ୍କ ଜୀବନରେ ସବୁକିଛି ଭଲରେ ଚାଲୁଥିଲା । ତାଙ୍କର ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଥିଲା, ସୁନ୍ଦର ପରିବାର ଥିଲା ଆଉ ସେ ବହୁତ ଧନୀ ଥିଲେ । (ଆୟୁ. ୧:୧-୫) କିନ୍ତୁ ଦିନେ ସବୁକିଛି ବଦଳିଗଲା । ତାଙ୍କର ସବୁ ସମ୍ପତ୍ତି ଲୁଟି ନିଆଗଲା । (ଆୟୁ. ୧:୧୩-୧୭) ଆଉ ତାʼପରେ ତାଙ୍କର ସବୁ ପିଲାମାନଙ୍କର ମୃତ୍ୟୁ ହୋଇଗଲା । ଟିକେ ଭାବନ୍ତୁ, ସେସମୟରେ ଆୟୁବଙ୍କୁ କିପରି ଲାଗିଥିବ । ଯେତେବେଳେ ବାପାମାଆଙ୍କ ଆଗରେ ପିଲାମାନଙ୍କର ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କର ସଂସାର ଛାରଖାର ହୋଇଯାଏ । ଆଉ ଆୟୁବଙ୍କର ତ ଘର ଧସି ପଡ଼ିବାରୁ ଦଶ ଜଣ ପିଲାଙ୍କ ଏକା ସାଙ୍ଗରେ ମୃତ୍ୟୁ ହୋଇଗଲା । ଆୟୁବ ଓ ତାଙ୍କ ସ୍ତ୍ରୀଙ୍କୁ ବହୁତ ବଡ଼ ଧକ୍କା ଲାଗିଥିବ, ସେମାନେ ଏହି ଦୁଃଖରେ ବୁଡ଼ିଯାଇଥିବେ ଓ ସେମାନେ ନିଜକୁ ବହୁତ ଅସହାୟ ମନେ କରିଥିବେ । ତେଣୁ ଆୟୁବ ଦୁଃଖରେ ନିଜ କପଡ଼ା ଚିରିଲେ ଓ ଭୂମିରେ ପଡ଼ିଗଲେ ।—ଆୟୁ. ୧:୧୮-୨୦.

ତାʼପରେ ଶୟତାନ ଆୟୁବଙ୍କୁ ଗୋଟିଏ କଷ୍ଟଦାୟକ ରୋଗରେ ପୀଡ଼ିତ କଲା ଆଉ ତାଙ୍କର ସବୁ ମାନସମ୍ମାନ ମାଟିରେ ମିଶାଇଦେଲା । (ଆୟୁ. ୨:୬-୮; ୭:୫) ଏପରି ଏକ ସମୟ ଥିଲା ଯେବେ ଲୋକମାନେ ଆୟୁବଙ୍କର ବହୁତ ସମ୍ମାନ କରୁଥିଲେ ଓ ତାଙ୍କଠାରୁ ପରାମର୍ଶ ନେବା ପାଇଁ ଆସୁଥିଲେ । (ଆୟୁ. ୨୯:୭, ୮, ୨୧) କିନ୍ତୁ ଏବେ ତାଙ୍କୁ କେହି ପଚାରୁ ନ ଥିଲେ । ତାଙ୍କ ଭାଇମାନେ ତାଙ୍କୁ ଅଣଦେଖା କରିଦେଲେ, ତାଙ୍କର ସବୁଠୁ ଭଲ ସାଙ୍ଗମାନେ ତାଙ୍କୁ ଛାଡ଼ି ଚାଲିଗଲେ, ଏପରିକି ତାଙ୍କ ଦାସମାନେ ମଧ୍ୟ ତାଙ୍କ କଥା ଶୁଣୁ ନ ଥିଲେ ।—ଆୟୁ. ୧୯:୧୩, ୧୪, ୧୬.

ଆୟୁବ ଯେପରି ସମସ୍ୟାଗୁଡ଼ିକର ସାମନା କରିଥିଲେ, ସେହିପରି ସମସ୍ୟାଗୁଡ଼ିକର ସାମନା ଆଜି ଅନେକ ଭାଇଭଉଣୀ କରୁଛନ୍ତି ଆଉ ସେମାନେ ବୁଝିପାରନ୍ତି ଯେ ତାଙ୍କ ଉପରେ କʼଣ ଘଟିଥିବ (ପାରାଗ୍ରାଫ ୭) d

୭. (କ) ଆୟୁବଙ୍କୁ କʼଣ ଲାଗିଥିବ ଯେ କିଏ ତାʼ ଉପରେ ସମସ୍ୟା ଆଣୁଛି ? କିନ୍ତୁ ସେ କʼଣ କଲେ ନାହିଁ ? (ଖ) ଆଜି ଆମେ ମଧ୍ୟ ହୁଏତ କେଉଁଭଳି ସମସ୍ୟାଗୁଡ଼ିକର ସାମନା କରୁ ? (ଚିତ୍ର ଦେଖନ୍ତୁ)

ଶୟତାନ ଚାହୁଁଥିଲା ଯେ ଆୟୁବ ଏହା ଭାବନ୍ତୁ ଯେ ଯିହୋବା ତାଙ୍କୁ ରାଗିଛନ୍ତି, ତେଣୁ ତାʼ ଉପରେ ଏତେ ସମସ୍ୟା ଆଣୁଛନ୍ତି । ଏଥିପାଇଁ ଶୟତାନ ପ୍ରଥମେ ସ୍ୱର୍ଗରୁ ନିଆଁ ବର୍ଷାଇଲା, ଯେଉଁଥିରେ ତାଙ୍କ ମେଷ ଓ ମେଷଗୁଡ଼ିକର ଦେଖାଶୁଣା କରୁଥିବା ଦାସମାନେ ମରିଗଲେ । (ଆୟୁ. ୧:୧୬) ତାʼପରେ ସେ ବହୁତ ଜୋର୍‌ରେ ଝଡ଼ତୋଫାନ ବହାଇଲା, ଯାହାଦ୍ୱାରା ସେହି ଘର ଧସିପଡ଼ିଲା, ଯେଉଁଠି ଆୟୁବଙ୍କ ପିଲାମାନେ ଖାଉଥିଲେ । (ଆୟୁ. ୧:୧୮, ୧୯) ଯେପରି ଭାବେ ଝଡ଼ତୋଫାନ ଆସିଲା ଓ ଆକାଶରୁ ନିଆଁ ବର୍ଷିଲା, ତାହା ଯୋଗୁଁ ଆୟୁବ ଭାବିଥିବେ ଯେ ନିଶ୍ଚୟ ଏହା ପଛରେ ଯିହୋବାଙ୍କର ହାତ ଥିବ । ତାଙ୍କୁ ଲାଗିଲା ଯେ ବୋଧେ ସେ କିଛି ଭୁଲ କରିଛନ୍ତି, ତେଣୁ ଯିହୋବା ତାଙ୍କୁ ରାଗିଛନ୍ତି । ତଥାପି ସେ ଯିହୋବାଙ୍କ ବିଷୟରେ ଖରାପ କଥା କହିଲେ ନାହିଁ । ସେ ମନେପକାଇଲେ ଯେ ଯିହୋବା ଏବେଯାଏ ତାଙ୍କୁ କେତେ ଆଶିଷ ଦେଇଛନ୍ତି ଓ ଭାବିଲେ ଯେ ଯଦି ସେ ‘ଯିହୋବାଙ୍କ ହସ୍ତରୁ ମଙ୍ଗଳ ଗ୍ରହଣ କରିଛନ୍ତି, ତେବେ ଅମଙ୍ଗଳ ମଧ୍ୟ ଗ୍ରହଣ କରିବା ଉଚିତ୍‌ ।’ ତେଣୁ ସେ କହିଲେ, “ସଦାପ୍ରଭୁଙ୍କ ନାମ ଧନ୍ୟ ହେଉ ।” (ଆୟୁ. ୧:୨୦, ୨୧; ୨:୧୦) ଏବେଯାଏ ଆୟୁବଙ୍କ ସବୁ ସମ୍ପତ୍ତି ଲୁଟି ନିଆଯାଇଥିଲା, ତାଙ୍କ ପିଲାମାନେ ମରିଯାଇଥିଲେ ଓ ତାଙ୍କୁ ଗୋଟିଏ ବଡ଼ ରୋଗ ହୋଇଯାଇଥିଲା, ତଥାପି ସେ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । କିନ୍ତୁ ଏବେ ଶୟତାନ ଆଉ କିଛି କରେ ।

୮. ଶୟତାନ ଏବେ କେଉଁ ଉପାୟ ଆପଣାଏ ?

ଶୟତାନ ଆଉ ଗୋଟିଏ ଉପାୟ ଆପଣାଏ । ସେ ଆୟୁବଙ୍କ ତିନି ସାଙ୍ଗମାନଙ୍କ ଜରିଆରେ ତାଙ୍କୁ ଏହା ଅନୁଭବ କରାଇବାକୁ ଚେଷ୍ଟା କଲା ଯେ ସେ ବିଲକୁଲ୍‌ ବେକାର ଅଟନ୍ତି ଆଉ କିଛି କାମର ନୁହନ୍ତି । ସେମାନେ ତାଙ୍କୁ କହନ୍ତି ଯେ ସେ ନିଶ୍ଚୟ ବହୁତ ପାପ କରିଥିବେ, ସେଥିପାଇଁ ତାଙ୍କ ସହିତ ଏତେ କିଛି ହେଉଛି । (ଆୟୁ. ୨୨:୫-୯) ଆଉ ଯଦି ବି ସେ ଭଲ କାମ କରିଥିବେ, ହେଲେ ବି ତାʼର ଯିହୋବାଙ୍କ ଉପରେ କିଛି ଫରକ ପଡ଼େ ନାହିଁ । (ଆୟୁ. ୪:୧୮; ୨୨:୨, ୩; ୨୫:୪) ସେ ତାଙ୍କୁ ଭରସା କରାଇବାକୁ ଚାହୁଁଥିଲା ଯେ ଈଶ୍ୱର ତାଙ୍କୁ ପ୍ରେମ କରନ୍ତି ନାହିଁ, ତାଙ୍କର ଚିନ୍ତା କରନ୍ତି ନାହିଁ ଆଉ ତାଙ୍କ ସେବା କରିବାର ବି କିଛି ଲାଭ ନାହିଁ । ଏ କଥା ଶୁଣି ଆୟୁବ ନିରାଶ ହୋଇପାରିଥାʼନ୍ତେ ।

୯. ଆୟୁବ କାହିଁକି ସାହସ ଧରିପାରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ?

ଟିକେ ଭାବି ଦେଖନ୍ତୁ, ଆୟୁବ ଭସ୍ମ ବା ପାଉଁଶ ଉପରେ ବସିଛନ୍ତି ଏବଂ ବହୁତ କଷ୍ଟରେ ଅଛନ୍ତି । (ଆୟୁ. ୨:୮) ତାଙ୍କ ଉପରେ ସମସ୍ୟାର ଝଡ଼ ଆସିଯାଇଛି ଓ ପିଲାମାନଙ୍କ ବିଷୟରେ ଭାବିଭାବି ସେ ବହୁତ ଦୁଃଖରେ ଅଛନ୍ତି, ତଥାପି ସେ ଚୁପ୍‌ ଅଛନ୍ତି । (ଆୟୁ. ୨:୧୩–୩:୧) ତାଙ୍କୁ ଚୁପ୍‌ ରହିବାର ଦେଖି ତାଙ୍କ ସାଙ୍ଗମାନେ ଭାବିଥିବେ ଯେ ସେ ଆଉ ଯିହୋବାଙ୍କ ବିଶ୍ୱସ୍ତ ରହିବେ ନାହିଁ ଏବଂ ତାଙ୍କ ନିନ୍ଦା କରିବେ । କିନ୍ତୁ ଏପରି କିଛି ହେଲାନି । ତାଙ୍କ ସାଙ୍ଗମାନେ ଲଗାତାର ତାଙ୍କୁ ଅପମାନ କରନ୍ତି ଓ ତାଙ୍କ ବିଷୟରେ ଖରାପ କଥା କୁହନ୍ତି । ଶେଷରେ ଆୟୁବ ସେମାନଙ୍କୁ ଉତ୍ତର ଦେଲେ । କଳ୍ପନା କରନ୍ତୁ ଯେ ସେ ନିଜ ମୁଣ୍ଡ ଉଠାନ୍ତି ଏବଂ ନିଜ ସାଙ୍ଗମାନଙ୍କ ଆଖିରେ ଆଖି ମିଶାଇ କହନ୍ତି, “ମୁଁ ମରଣ ପର୍ଯ୍ୟନ୍ତ ମୋହର ସରଳତା ଆପଣାଠାରୁ ଦୂର କରିବି ନାହିଁ ।” (ଆୟୁ. ୨୭:୫) ଏତେ ସବୁ ହେଲା ପରେ ବି ଆୟୁବ କାହିଁକି ସାହସ ଧରିପାରିଲେ ଓ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ ? ଏପରି ସମସ୍ୟା ସମୟରେ ମଧ୍ୟ ସେ ଆଶା ହରାଇଲେ ନାହିଁ । ସେ ଆଶା ରଖିଲେ ଯେ ଦିନେ ଯିହୋବା ତାଙ୍କ ସବୁ କଷ୍ଟକୁ ଦୂର କରିଦେବେ । ତାଙ୍କୁ ଭରସା ଥିଲା ଯେ ଯଦି ତାଙ୍କର ମୃତ୍ୟୁ ବି ହୋଇଯାଏ, ହେଲେ ବି ଯିହୋବା ତାଙ୍କୁ ଜୀବିତ କରିବେ ।—ଆୟୁ. ୧୪:୧୩-୧୫.

ଆୟୁବଙ୍କଠାରୁ ଶିଖନ୍ତୁ

୧୦. ଆୟୁବଙ୍କ ଘଟଣାରୁ ଆମେ କʼଣ କʼଣ ଶିଖୁ ?

୧୦ ଆୟୁବଙ୍କ ଘଟଣାରୁ ଆମେ ଶିଖୁ ଯେ ଶୟତାନ ଆମକୁ ଯିହୋବାଙ୍କୁ ଛାଡ଼ିବା ପାଇଁ ଜୋର ଜବରଦସ୍ତି କରିପାରିବ ନାହିଁ । ଯିହୋବା ଭଲଭାବେ ଜାଣନ୍ତି ଯେ ଆମ ଉପରେ କʼଣ ଘଟୁଛି । ଆମେ ଏହା ବି ଶିଖୁ ଯେ ଶୟତାନ କେଉଁ କେଉଁ ଉପାୟ ଆପଣାଇଥାଏ, ଯାହାଫଳରେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ନାହିଁ । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।

୧୧. ଯଦି ଆମକୁ ଯିହୋବାଙ୍କ ଉପରେ ଭରସା ଥିବ, ତେବେ ଆମେ କେଉଁ କଥାର ଭରସା ରଖିପାରିବା ? (ଯାକୁବ ୪:୭)

୧୧ ଆୟୁବଙ୍କ ଭଳି ଯେବେ ଆମକୁ ବି ଯିହୋବାଙ୍କ ଉପରେ ଭରସା ଥିବ, ତେବେ ଆମେ ସମସ୍ୟାଗୁଡ଼ିକର ସାମନା କରିପାରିବା ଓ ଶୟତାନର ବିରୋଧ କରିପାରିବା । ବାଇବଲରେ ଆମକୁ ଭରସା ଦିଆଯାଇଛି ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା ତେବେ ଶୟତାନ ଆମ ନିକଟରୁ ପଳାଇଯିବ ।ଯାକୁବ ୪:୭ ପଢ଼ନ୍ତୁ ।

୧୨. ମରିଯାଇଥିବା ଲୋକେ ଜୀବିତ ହେବେ ଏହି ଆଶାରୁ ଆୟୁବଙ୍କୁ କିପରି ସାହସ ମିଳିଲା ?

୧୨ ଆମେ ପୂରା ଭରସା ରଖିବା ଉଚିତ୍‌ ଯେ ଯଦି ଆମେ ମରି ବି ଯାଉ ତେବେ ଯିହୋବା ଆମକୁ ଜୀବିତ କରିପାରିବେ । ଆପଣଙ୍କୁ ମନେଥିବ ଯେ ଆମେ ପୂର୍ବ ଲେଖାରେ ଶିଖିଥିଲୁ ଶୟତାନ ଚାହେଁ ଯେ ଆମେ ମୃତ୍ୟୁକୁ ଡରିଯାଉ ଆଉ ନିଜ ଜୀବନକୁ ରକ୍ଷା କରିବା ପାଇଁ ବାଇବଲର ସିଦ୍ଧାନ୍ତକୁ ଭାଙ୍ଗିଦେଉ । ଆୟୁବଙ୍କ ସହ ବି ସେ ଏପରି ହିଁ କିଛି କଲା । ସେ ଆରୋପ ଲଗାଇଲା ଯେ ଆୟୁବ ନିଜ ଜୀବନକୁ ରକ୍ଷା କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହୋଇଯିବେ, ଏପରିକି ଯିହୋବାଙ୍କୁ ବି ଛାଡ଼ି ଦେବେ । କିନ୍ତୁ ଆୟୁବ ଶୟତାନକୁ ମିଛ ପ୍ରମାଣିତ କଲେ । ଯେବେ ତାଙ୍କୁ ଆଶାର କିଛି କିରଣ ଦେଖା ଯାଉ ନ ଥିଲା ଓ ତାଙ୍କୁ ଲାଗୁଥିଲା ଯେ ସେ ଏବେ ତ ମରି ହିଁ ଯିବେ, ତେବେ ବି ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ତାଙ୍କୁ ଭରସା ଥିଲା ଯେ ଯିହୋବା ବହୁତ ଭଲ ଅଟନ୍ତି ଆଉ ଦିନେ ସବୁକିଛି ଠିକ୍‌ କରି ଦେବେ । ଆଉ ଯଦି ତାଙ୍କ ବଞ୍ଚିଥିବା ଯାଏ ଏପରି ନ ହୁଏ, ତେବେ ବି ତାଙ୍କୁ ପୂରା ଆଶା ଥିଲା ଯେ ଯିହୋବା ଭବିଷ୍ୟତରେ ତାଙ୍କୁ ଜୀବିତ କରିଦେବେ ଆଉ ସବୁକିଛି ଠିକ୍‌ ହୋଇଯିବ । ଆୟୁବଙ୍କୁ ଭରସା ଥିଲା ଯିହୋବା ମରିଯାଇଥିବା ଲୋକଙ୍କୁ ଜୀବିତ କରିପାରିବେ । ଯଦି ଆମକୁ ବି ଏହି କଥା ଉପରେ ପୂରା ଭରସା ଥିବ, ତେବେ ଆମକୁ ଯିହୋବାଙ୍କ ବିଶ୍ୱସ୍ତ ରହିବାରେ କୌଣସି କଥା ରୋକିପାରିବନି, ଏପରିକି ମୃତ୍ୟୁ ବି ନୁହଁ ।

୧୩. ଶୟତାନ ଆୟୁବଙ୍କ ସମୟରେ ଯେଉଁ ଫାନ୍ଦଗୁଡ଼ିକ ଆପଣାଇଥିଲା, ଆମେ ସେଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

୧୩ ଶୟତାନ ଆଜି ବି ସେହି ଉପାୟ ଆପଣାଇଥାଏ ଯାହା ଆୟୁବଙ୍କ ସମୟରେ ଆପଣାଇଥିଲା । ଧ୍ୟାନ ଦିଅନ୍ତୁ ଯେ ଶୟତାନ କେବଳ ଆୟୁବଙ୍କ ଉପରେ ଆରୋପ ଲଗାଇ ନ ଥିଲା ବରଂ ସବୁ ମଣିଷମାନଙ୍କ ବିଷୟରେ କହିଲା, “ଆପଣା ପ୍ରାଣ ନିମନ୍ତେ ମଣିଷ ନିଜ ସର୍ବସ୍ୱ ଦେବ ।” (ଆୟୁ. ୨:୪, ୫) ଏପରି କହି ଶୟତାନ ଦାବି କରୁଥିଲା ଯେ ଆମେ ଯିହୋବାଙ୍କୁ କେବଳ ନିଜ ସ୍ୱାର୍ଥ ପାଇଁ ପ୍ରେମ କରୁ ଓ ଯଦି ଆମ ଜୀବନ ବିପଦରେ ପଡ଼େ, ତେବେ ଆମେ ତାଙ୍କୁ ଛାଡ଼ିଦେବା । ଶୟତାନ ଏହା ବି ଦାବି କରୁଥିଲା ଯେ ଯିହୋବା ଆମକୁ ପ୍ରେମ କରନ୍ତି ନାହିଁ ଓ ଆମେ ତାଙ୍କୁ ଖୁସି କରିବା ପାଇଁ ଯାହା ବି କରୁ ସେଥିରୁ ତାଙ୍କୁ କିଛି ଫରକ ପଡ଼େନାହିଁ । ଆମେ ଶୟତାନର ଫାନ୍ଦଗୁଡ଼ିକୁ ଭଲଭାବେ ଜାଣିଛୁ, ତେଣୁ ଆମେ ତାʼ କଥାରେ ପଡ଼ିବା ନାହିଁ ଓ ଯିହୋବାଙ୍କ ଉପରେ ଆଶା ରଖିବା ।

୧୪. ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଆମେ କʼଣ ଦେଖିପାରୁ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।

୧୪ ଯେବେ ଆମ ଉପରେ ସମସ୍ୟା ଆସେ ତେବେ ଆମେ ଦେଖିପାରୁ ଯେ ଆମଠାରେ କʼଣ କʼଣ ଦୁର୍ବଳତା ରହିଛି । ଯେବେ ଆୟୁବଙ୍କ ଉପରେ ସମସ୍ୟା ଆସିଲା, ତେବେ ସେ ଦେଖିପାରିଲେ ଯେ ତାଙ୍କର କିଛି ଦୁର୍ବଳତା ରହିଛି ଏବଂ ତାʼପରେ ସେ ନିଜଠାରେ ସୁଧାର କଲେ । ଯେପରି ତାଙ୍କୁ ଅନୁଭବ ହେଲା ଯେ ତାଙ୍କୁ ଆହୁରି ନମ୍ର ହେବାକୁ ପଡ଼ିବ । (ଆୟୁ. ୪୨:୩) ଭାଇ ନିକୋଲାଇଙ୍କ c ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ବହୁତ ବେମାର ଥିଲେ ତଥାପି ତାଙ୍କୁ ଜେଲ୍‌ରେ ପୂରାଇ ଦିଆଗଲା । ସେ କହନ୍ତି, “ଜେଲ୍‌ ଯିବା ଏକ୍ସ-ରେ କରିବା ଭଳି ଅଟେ । ସେଥିରୁ ଜଣାପଡ଼ିଯାଏ ଯେ ଆମେ ଭିତରୁ କିପରି ମଣିଷ ଅଟୁ, ଆମଠାରେ କʼଣ ଭଲ ଗୁଣଗୁଡ଼ିକ ରହିଛି ଓ କʼଣ ଦୁର୍ବଳତା ଅଛି ।” ସତରେ, ଯେବେ ଆମକୁ ଜଣାପଡ଼ିଯାଏ ଯେ ଆମଠାରେ କʼଣ ଦୁର୍ବଳତାଗୁଡ଼ିକ ରହିଛି, ତେବେ ଆମେ ନିଜଠାରେ ସୁଧାର କରିପାରିବା ।

୧୫. ଆୟୁବଙ୍କ ଭଳି ଆମେ କାହା କଥା ଶୁଣିବା ଉଚିତ୍‌ ଏବଂ କାହିଁକି ?

୧୫ ଆମେ ଶତ୍ରୁମାନଙ୍କ କଥା ଉପରେ ଧ୍ୟାନ ଦେବା ଉଚିତ୍‌ ନୁହେଁ, ବରଂ ଯିହୋବାଙ୍କ କଥା ଶୁଣିବା ଉଚିତ୍‌ । ଆୟୁବ ବି ଏପରି ହିଁ କଲେ । ତାଙ୍କ ଚିନ୍ତାଧାରା ସୁଧାର କରିବା ପାଇଁ ଯିହୋବା ତାଙ୍କୁ ଅନେକ କଥା ମନେ ପକାଇଦେଲେ । ସେ ଯେପରି ଆୟୁବଙ୍କୁ କହିଲେ, ‘କʼଣ ତୁ ଦେଖିପାରୁ ନାହୁଁ ଯେ ମୁଁ କʼଣ କʼଣ ସୃଷ୍ଟି କରିଛି ? କʼଣ ତତେ ଲାଗେନି ଯେ ମୁଁ ତୋର ଯତ୍ନ ନେଇପାରିବି ? ମୁଁ ଭଲଭାବେ ଜାଣେ ଯେ ତୋ ଉପରେ କʼଣ କʼଣ ଘଟିଛି ।’ ଯିହୋବାଙ୍କ କଥା ଶୁଣି ଆୟୁବଙ୍କୁ ଭରସା ହୋଇଗଲା ଯେ ସେ ତାଙ୍କର ଚିନ୍ତା କରନ୍ତି । ତାଙ୍କ ହୃଦୟ କୃତଜ୍ଞତାରେ ଭରିଗଲା ଆଉ ସେ କହିଲେ, “ମୁଁ କର୍ଣ୍ଣରେ ତୁମ୍ଭ ବିଷୟ ଶୁଣିଥିଲି; ମାତ୍ର ଏବେ ମୋହର ଚକ୍ଷୁ ତୁମ୍ଭଙ୍କୁ ଦେଖୁଅଛି ।” (ଆୟୁ. ୪୨:୫) ଏହି କଥା ହୁଏତ ଆୟୁବ ପାଉଁଶ ଉପରେ ବସିଥିବା ସମୟରେ କହିଥିଲେ । ଏବେ ବି ତାଙ୍କ ଶରୀରରେ ବଥ ଥିଲା ଆଉ ନିଜ ପିଲାମାନଙ୍କ ମୃତ୍ୟୁ ଯୋଗୁଁ ଏବେ ବି ସେ ଦୁଃଖିତ ଥିଲେ । ଏପରି ପରିସ୍ଥିତିରେ ବି ଯିହୋବା ତାଙ୍କୁ ଭରସା ଦେଲେ ଯେ ସେ ତାଙ୍କୁ ପ୍ରେମ କରନ୍ତି ଆଉ ତାଙ୍କ ଉପରେ ଖୁସି ଅଛନ୍ତି ଆଉ ଆୟୁବ ଧ୍ୟାନ ଦେଇ ତାଙ୍କ କଥା ଶୁଣିଲେ ।—ଆୟୁ. ୪୨:୭, ୮.

୧୬. ଯିଶାଇୟ ୪୯:୧୫, ୧୬ ପଦ ଅନୁସାରେ, ସମସ୍ୟା ଆସିଲେ ଆମେ କେଉଁ କଥାକୁ ଧ୍ୟାନ ରଖିବା ଉଚିତ୍‌ ?

୧୬ ହୁଏତ ଲୋକେ ଆଜି ଆମକୁ ଖରାପ ଖରାପ କଥା କହିବେ, ଆମର ଅପମାନ କରିବେ, ଆମକୁ ନୀଚ ଦେଖାଇବେ କିମ୍ବା ଆମ ସଂଗଠନ ବିରୁଦ୍ଧରେ ‘ମିଥ୍ୟା ଓ ମନ୍ଦ କଥା କହିବେ ।’ (ମାଥି. ୫:୧୧) କିନ୍ତୁ ଆୟୁବଙ୍କ ଘଟଣାରୁ ଜଣାପଡ଼େ ଯେ ଯିହୋବାଙ୍କୁ ଆମ ଉପରେ ପୂରା ଭରସା ଅଛି ଯେ ସମସ୍ୟା ସତ୍ତ୍ୱେ ଆମେ ବିଶ୍ୱସ୍ତ ରହିବା । ସେ ଆମକୁ ବହୁତ ପ୍ରେମ କରନ୍ତି ଆଉ ଯେଉଁମାନେ ତାଙ୍କ ଉପରେ ଆଶା ରଖନ୍ତି, ସେମାନଙ୍କୁ ସେ କେବେ ବି ଛାଡ଼ନ୍ତି ନାହିଁ । (ଯିଶାଇୟ ୪୯:୧୫, ୧୬ ପଢ଼ନ୍ତୁ ।) ତେଣୁ ଯେବେ ଲୋକେ ଆପଣଙ୍କୁ କିମ୍ବା ସଂଗଠନକୁ ବଦନାମ କରନ୍ତି, ତେବେ ସେମାନଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ ନାହିଁ । ତୁର୍କୀରେ ରହୁଥିବା ଜେମ୍‌ସଙ୍କ ଅନୁଭୂତି ପ୍ରତି ଧ୍ୟାନ ଦିଅନ୍ତୁ । ତାଙ୍କ ପରିବାର ଅନେକ ସମସ୍ୟାର ସାମନା କରିଥିଲା । ସେବିଷୟରେ ସେ କହନ୍ତି, “ଲୋକେ ଯିହୋବାଙ୍କ ସଂଗଠନ ବିଷୟରେ ମିଛ କଥା କହୁଥିଲେ । ଆମକୁ ଅନୁଭବ ହେଲା ଯେ ଯଦି ଆମେ ସେମାନଙ୍କ କଥା ଉପରେ ଧ୍ୟାନ ଦେଉଥିବା, ତେବେ ଆମେ ନିରାଶ ହୋଇଯିବା ଆଉ ଆମ ସାହସ ଭାଙ୍ଗିଯିବ । ତେଣୁ ଆମେ ନିଜ ଆଶା ବିଷୟରେ ଲଗାତାର ଭାବିଲୁ ଆଉ ଯିହୋବାଙ୍କ ସେବା ଉତ୍ସାହର ସହ କରିବା ଜାରି ରଖିଲୁ । ତେଣୁ ଆମେ ସମସ୍ୟା ସତ୍ତ୍ୱେ ଖୁସିରେ ରହିପାରିଲୁ ।” ତେବେ ଆସନ୍ତୁ ଆମେ ବି ଶତ୍ରୁମାନଙ୍କୁ ନିଜ ଆଶାକୁ ଦୁର୍ବଳ କରିବା ପାଇଁ ସୁଯୋଗ ଦେବା ନାହିଁ ଆଉ ଆୟୁବଙ୍କ ଭଳି ଯିହୋବାଙ୍କ କଥା ଶୁଣିବା ଜାରି ରଖିବା ।

ଆଶା ଥିଲେ ଆମେ ବିଶ୍ୱସ୍ତ ରହିପାରିବା

ଆୟୁବ ବିଶ୍ୱସ୍ତ ରହିଲେ, ତେଣୁ ଯିହୋବା ତାଙ୍କୁ ଅନେକ ଆଶିଷ ଦେଲେ । ସେ ଓ ତାଙ୍କ ସ୍ତ୍ରୀ ଲମ୍ବା ସମୟ ଯାଏ ଖୁସିରେ ଜୀବନ ବିତାଇଲେ (ପାରାଗ୍ରାଫ ୧୭) e

୧୭. ଏବ୍ରୀ ୧୧ ଅଧ୍ୟାୟରେ ଦିଆଯାଇଥିବା ବିଶ୍ୱସ୍ତ ଲୋକମାନଙ୍କଠାରୁ ଆମେ କʼଣ ଶିଖିପାରିବା ?

୧୭ ଆୟୁବ ଏକା ଏପରି ବ୍ୟକ୍ତି ନ ଥିଲେ, ଯିଏ ସାହସର ସହିତ ସମସ୍ୟାଗୁଡ଼ିକର ସାମନା କଲେ ଓ ଯିଏ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । ପାଉଲ ଏବ୍ରୀ ମଣ୍ଡଳୀକୁ ଲେଖିଥିବା ଚିଠିରେ ଏପରି ହିଁ କିଛି ବିଶ୍ୱସ୍ତ ଲୋକମାନଙ୍କ ବିଷୟରେ ଲେଖିଲେ ଓ ସେମାନଙ୍କୁ ‘ବୃହତ ମେଘ ତୁଲ୍ୟ ସାକ୍ଷୀ’ ବୋଲି କହିଲେ । (ଏବ୍ରୀ ୧୨:୧) ସେମାନେ ସମସ୍ତେ ବଡ଼ ବଡ଼ ସମସ୍ୟାଗୁଡ଼ିକର ସାମନା କରିଥିଲେ, ତଥାପି ସେମାନେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯିହୋବାଙ୍କର ବିଶ୍ୱସ୍ତ ରହିଲେ । (ଏବ୍ରୀ ୧୧:୩୬-୪୦) ଏହା ସତ ଯେ ସେମାନେ ଯିହୋବାଙ୍କର ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ଦେଖିପାରିଲେ ନାହିଁ, କିନ୍ତୁ ସେମାନଙ୍କୁ ଯିହୋବାଙ୍କ ଉପରେ ଆଶା ଥିଲା । ସେମାନେ ଜାଣୁଥିଲେ ଯେ ଯିହୋବା ସେମାନଙ୍କ ଉପରେ ଖୁସି ଅଛନ୍ତି, ତେଣୁ ସେମାନଙ୍କୁ ଭରସା ଥିଲା ଯେ ଭବିଷ୍ୟତରେ ସେମାନେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକୁ ପୂରା ହେବାର ଦେଖିବେ । (ଏବ୍ରୀ ୧୧:୪, ୫) ତେଣୁ ଆସନ୍ତୁ ଆମେ ସେମାନଙ୍କଠାରୁ ଶିଖିବା ଓ ଯାହା ବି ହୋଇଯାଉନା କାହିଁକି ଯିହୋବାଙ୍କ ଉପରେ ଆଶା ରଖିବା !

୧୮. ଆପଣ କʼଣ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ? (ଏବ୍ରୀ ୧୧:୬)

୧୮ ଏହି ଦୁନିଆ ଦିନକୁ ଦିନ ଖରାପ ହୋଇ ହୋଇ ଯାଉଛି । (୨ ତୀମ. ୩:୧୩) ଆଉ ଶୟତାନ ଗୋଟିଏ ପରେ ଗୋଟିଏ ଯିହୋବାଙ୍କ ଲୋକମାନଙ୍କ ଉପରେ ଅନେକ ସମସ୍ୟା ଆଣୁଛି । କିନ୍ତୁ ଆମ ଉପରେ ଯେତେ ବି ସମସ୍ୟା ଆସୁ ନା କାହିଁକି ଆମେ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ଆମେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖିବା । କାରଣ ଆମେ “ଜଣେ ଜୀବିତ ଈଶ୍ୱରଙ୍କ ଉପରେ ଭରସା [ଆଶା] ରଖୁ ।” (୧ ତୀମ. ୪:୧୦, NWT) ଆୟୁବ ଯିହୋବାଙ୍କର ବିଶ୍ୱସ୍ତ ରହିଲେ, ତେଣୁ ଯିହୋବା ତାଙ୍କୁ ପୁରସ୍କାର ଦେଲେ ଓ ପ୍ରମାଣିତ କଲେ ଯେ ସେ ଦୟାରେ ପରିପୂର୍ଣ୍ଣ ଓ କୃପାବାନ ଈଶ୍ୱର ଅଟନ୍ତି । (ଯାକୁ. ୫:୧୧) ଆସନ୍ତୁ ଆମେ ବି ଯିହୋବାଙ୍କର ବିଶ୍ୱସ୍ତ ରହିବା ଓ ଭରସା ରଖିବା ଯେ ସେ “ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା ।”ଏବ୍ରୀ ୧୧:୬ ପଢ଼ନ୍ତୁ ।

ଗୀତ ୧୫୦ ଅପନେ ବଚାୱ କେ ଲିଏ ୟହୋୱା କୀ ଖୋଜ କରେଁ

a ଯେବେ ଆପଣ କୌଣସି ଏପରି ବ୍ୟକ୍ତି ବିଷୟରେ ଭାବନ୍ତି, ଯାହା ଉପରେ ବହୁତ ସମସ୍ୟା ଆସିଛି, ତେବେ ହୁଏତ ଆପଣଙ୍କ ମନରେ ଆୟୁବଙ୍କ ଚିତ୍ର ଆସିଥିବ । ସେ ଅନେକ ସମସ୍ୟା ସତ୍ତ୍ୱେ ବିଶ୍ୱସ୍ତ ରହିଲେ । କିନ୍ତୁ ଆମେ ତାଙ୍କ ଘଟଣାରୁ ଆଉ କʼଣ ଶିଖିପାରିବା ? (୧) ଶୟତାନ ଆମକୁ ଯିହୋବାଙ୍କୁ ଛାଡ଼ିବା ପାଇଁ ଜୋର ଜବରଦସ୍ତି କରିପାରିବ ନାହିଁ । (୨) ଯିହୋବା ଭଲଭାବେ ଜାଣନ୍ତି ଯେ ଆମ ଉପରେ କʼଣ ଘଟୁଛି । (୩) ଯେପରି ଯିହୋବା ଆୟୁବଙ୍କ ସମସ୍ୟାଗୁଡ଼ିକୁ ଦୂର କରିଦେଲେ, ସେହିପରି ଦିନେ ସେ ଆମ ସମସ୍ୟାଗୁଡ଼ିକୁ ମଧ୍ୟ ପୂରାପୂରି ଦୂର କରିଦେବେ । ଯେବେ ଆମକୁ ଏହି କଥାଗୁଡ଼ିକ ଉପରେ ପୂରା ଭରସା ଥିବ ଆଉ ଆମେ ତାʼ ମୁତାବକ କାମ କରିବା, ତେବେ ଆମେ ଦେଖାଇବା ଯେ ଆମେ “ଯିହୋବାଙ୍କ ଉପରେ ଆଶା” ରଖୁ ।

b ଏହାର ଅର୍ଥ କʼଣ ? ଯେଉଁ ଏବ୍ରୀ ଶବ୍ଦର ଅନୁବାଦ “ଆଶା” କରାଯାଇଛି, ତାʼର ଅର୍ଥ କୌଣସି ଜିନିଷକୁ ଆଗ୍ରହର ସହ ଅପେକ୍ଷା କରିବା । ଏହାର ଅର୍ଥ କାହାରି ଉପରେ ଭରସା କରିବା କିମ୍ବା ତାʼ ଉପରେ ନିର୍ଭର ରହିବା ମଧ୍ୟ ହୋଇପାରେ ।—ଗୀତ. ୨୫:୨, ୩; ୬୨:୫.

c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

d ଚିତ୍ର ବିଷୟରେ: ଆୟୁବ ଓ ତାଙ୍କ ସ୍ତ୍ରୀ ଗୋଟିଏ ଭୟଙ୍କର ଦୁର୍ଘଟଣାରେ ନିଜ ପିଲାମାନଙ୍କୁ ହରାଇଦେଲେ ।

e ଚିତ୍ର ବିଷୟରେ: ଆୟୁବ ସମସ୍ୟା ସତ୍ତ୍ୱେ ବିଶ୍ୱସ୍ତ ରହିଲେ । ସେ ଓ ତାଙ୍କ ସ୍ତ୍ରୀ ଏବିଷୟରେ ଭାବୁଛନ୍ତି ଯେ ଯିହୋବା ସେମାନଙ୍କୁ କେତେ ଆଶିଷ ଦେଇଛନ୍ତି ।